ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଶିକ୍ଷାର ଅଧିକାର ନିୟମ(ଆରଟିଇ)୨୦୦୯ର ପ୍ରାବଧାନକୁ ଚ୍ୟାଲେଞ୍ଜ କରାଯାଇଥିବା ଏକ ଜନସ୍ଵାର୍ଥ ଆବେଦନ ଉପରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ଜନସ୍ଵାର୍ଥ ଆବେଦନରେ ମଦରସା, ଏବଂ ଧାର୍ମିକ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷା ସଂସ୍ଥାନକୁ ଆରଟିଆଇ ପରିସରଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।
ବିଚାରପତି ଡିଏନ ପଟେଲ୍ ଏବଂ ବିଚାରପତି ଜ୍ୟୋତି ସିଂହଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର ସହିତ ସମସ୍ତ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨ ମାର୍ଚ୍ଚ ୩୦ ତାରିଖ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଦେଶରେ ସମାନ ଶିକ୍ଷା ପ୍ରଣାଳୀ ଲାଗୁ କରିବାକୁ ଦାବି କରିଛନ୍ତି।
ଆବେଦନରେ କୁହାଯାଇଛି ଯେ, ଧାରା ୧(୪) ଏବଂ ୧(୫) ଧାର୍ମିକ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନକୁ ଉତ୍କୃଷ୍ଟ ଶିକ୍ଷାରୁ ବଞ୍ଚିତ କରାଯାଉଛି। ସୁପ୍ରିମକୋର୍ଟ ଦ୍ଵାରା ମାମଲାର ଶୁଣାଣି ମନା କରାଯିବା ଏବଂ ହାଇକୋର୍ଟ ଯିବାକୁ ପରାମର୍ଶ ପରେ ଦିଲ୍ଲୀ ହାଇକୋର୍ଟରେ ଅଶ୍ଵିନୀ ଉପାଧ୍ୟାୟ ଯାଚିକା ଦାୟର କରିଥିଲେ।
ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ଆମର ରାୟ ଆବେଦନକାରୀଙ୍କୁ ଭାରତର ସମ୍ବିଧାନ ଅନୁଚ୍ଛେଦ ୨୨୬ ଆଧାରରେ ଏକ ଆବେଦନ ଦାଖଲ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହେବା ଉଚିତ୍। ଆବେଦନକାରୀଙ୍କୁ ନିଜର ପିଟିସନ ସହ ହାଇକୋର୍ଟ ଯିବାକୁ ଅନୁମତି ଦିଆଯାଉଛି। ଆମେ ଏହି ଆବେଦନ ଉପରେ କୌଣସି ପ୍ରତିକ୍ରିୟା ମଧ୍ୟ ଦେବୁ ନାହିଁ।
ଆବେଦନକାରୀ କହିଛନ୍ତି, ପିଲାଙ୍କ ଅଧିକାର କେବଳ ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ପର୍ଯ୍ୟନ୍ତ ସୀମିତ ରହିବା ଉଚିତ୍ ନୁହେଁ। ବରଂ ସାମାଜିକ-ଆର୍ଥିକ, ଧାର୍ମିକ-ସାଂସ୍କୃତିକ ପୃଷ୍ଠଭୂମିରେ ବିନା ଭେଦଭାବରେ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଚିତ୍। ଏହି ପ୍ରକାରର ସମସ୍ତ ପିଲାଙ୍କ ପାଇଁ ସମଗ୍ର ଦେଶରେ ସମାନ ପାଠ୍ୟକ୍ରମ ଆବଶ୍ୟକ ରହିଛି।