ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗତକାଲି ଗିରଫ ହୋଇଥିବା ବେଳେ ଆଜି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍ର ମାଲିକ ରଂଜନ ନାୟକଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ମୁହାଁମୁହିଁ ଜେରା କରାଯାଇ ସତ ସାମାନାକୁ ଅଣାଯିବ ବୋଲି ସୂଚନା ମିଳିଛି ।
ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ସମୁଦାୟ ୮ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଅପରାଧର ଉଦ୍ଦେଶ୍ୟ ଏଯାଏଁ ସାମ୍ନାକୁ ଆସିନି । ସେମାନଙ୍କ ମଧ୍ୟରୁ ଆଜିଠୁ ୪ ଜଣଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବାକୁ ଚେଷ୍ଟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ତେବେ ମେମୋରି ଚିପ୍ କେଉଁଠି ଅଛି, ସେଥିରେ ଏପରି କ’ଣ ଥିଲା ଯାହା ପାଇଁ ହତ୍ୟାକାଣ୍ଡ ଘଟାଇବାକୁ ପଡ଼ିଲା, ତାହାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ।
୪ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଥିବା ବେଳେ ଏହି ସମୟ ମଧ୍ୟରେ ସେମାନଙ୍କ ପାଖରୁ ସତ ବାହାର କରିବାକୁ ସେମାନଙ୍କୁ ଦୟାଲ ଆଶ୍ରମ ନିଆଯାଇ ସିନ୍ ରିକ୍ରିଏଟ କରାଯିବାର ସମ୍ଭାବନା ଥିବା ଜଣାଯାଇଛି। ସେଠାରେ କେଉଁ କେଉଁ ମାରଣାସ୍ତ୍ର ବ୍ୟବହାର କରାଗଲା, କିଏ ଓ କିପରି ଆକ୍ରମଣ କଲା, ଏହାପରେ ମୃତଦେହ କିପରି ବାହରକୁ ନେଲେ, ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ କରିବ ଟିମ୍। ଏହାପରେ ଶବ ପୋତା ହୋଇଥିବା ସ୍ଥାନ ନୟାଗଡ଼କୁ ମଧ୍ୟ ଅଭିଯୁକ୍ତଙ୍କୁ ନିଆଯାଇପାରେ ବୋଲି ସୂଚନା ମିଳିଛି।