ସାରା ବିଶ୍ୱକୁ ଗ୍ରାସିସାରିଲାଣି କରୋନା । ସାରା ବିଶ୍ୱରେ ଘାତକ ସାଜିଥିବା କରୋନା ଏବେ ଭାରତରେ ବି କାୟା ବିସ୍ତାର କରିବା ଆରମ୍ଭ କରିଛି । ସାରା ବିଶ୍ୱରେ ୧୮ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ପ୍ରାଣ ହରାଇ ସାରିଲେଣି । ଭାରତରେ ଏହି ବେମାରି ୨୦୦ ଜଣଙ୍କ ଜିବନ ନେଇଥିବାବେଳେ ୮୦୦୦ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି । ଓଡିଶାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସୁଦ୍ଧା ୫୪ରେ ଅଛି । ସାରା ଦେଶ ଏବେ ଲକଡାଉନ ସ୍ଥିତିରେ ।
ମହାମାରୀକୁ ରୋକିବା ପାଇଁ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ ହେଉଛି ସାମାଜିକ ଦୂରତ୍ୱ ରଖିବା ଓ ଯଦି ବାହାରୁ ଫେରିଛନ୍ତି ତାହେଲେ ଯଥାସମ୍ଭବ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖିବା । “ମୋ ଦେହ ଏବେ ଭଲ ଅଛି”, “କିଛି ହେବନି”, “ମୁଁ ଆସିବାର ସପ୍ତାହେ ହୋଇଗଲାଣି, ଆଉ କିଛି ହେବନି”ଏପରି ମାନସିକତାରେ ରହିବା ଭୁଲ୍ । ଏହି ଭୁତାଣୁ ହାତରୁ, ଛିଙ୍କରୁ, ଅନ୍ୟର ଶରୀରକୁ ଯାଇପାରେ । ଯିଏ ସଂକ୍ରମିତ ହୋଇଛି ତାକୁ ଯଥାସମ୍ଭବ ଅନ୍ୟମାନଙ୍କ ଠାରୁ ଦୂରେଇ ରଖିବା ହେଉଛି ସବୁଠାରୁ ଭଲ ପ୍ରତିଷେଧକ ବ୍ୟବସ୍ଥା । ଏହାଦ୍ୱାରା ମହାମାରୀ ବ୍ୟାପିବାର ଶୃଙ୍ଖଳା ଭାଙ୍ଗି ଥାଏ ଓ ଏହି ମହାମାରି ଭୂତାଣି ଅନ୍ୟକୁ ଆକ୍ରାନ୍ତ କରିବାରେ ରୋକ ଲାଗିଯାଏ । ସୋସିଆଲ ଡିଷ୍ଟାନସିଙ୍ଗ ହେଉଛି ମହାମାରୀ ବିସ୍ତାରକୁ ରୋକିବାର ଏକ ସଫଳ ଉପାୟ । ଯଦି ଦେଶର ପ୍ରତ୍ୟକ ବ୍ୟକ୍ତି, ପ୍ରତ୍ୟକ ପରିବାର ଦେଶର ସରକାରଙ୍କର ସହିତ ଗୋଟିଏ ରେଖାରେ ଠିଆ ହୁଅନ୍ତି ତାହେଲେ ଏହି ମହାମାରିକୁ ରୋକିପାରିବା । ବର୍ତମାନ ପରିସ୍ଥିତିରେ ସାମାଜିକ ଦ୍ୱରତକୁ ପାଳନ କରିବା ହେଉଛି ସବୁଠାରୁ ଆବଶ୍ୟକିୟ କାମ । ସାମାଜିକ ଦୁରତ୍ୱ ପାଳନ ପାଇଁ ସରକାରଙ୍କର ଲକଡାଉନ ହେଉଛି ସବୁଠାରୁ ଉଚିତ ପଦକ୍ଷେପ ।
୰ ଓଡିଶାରେ ଏବେ ସୁଦ୍ଧା କରୋନା ବିରୋଧରେ ସରକାରଙ୍କର ଏହି ଲଢାଇରେ ଲୋକ ପ୍ରତିନିଧିମାନଙ୍କୁ ସାମିଲ କରାଗଲା ନାହିଁ । କିଛି ବଡ ପ୍ରଶାସନିକ ଅଧିକାରି, ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଧରି ସରକାର କରୋନା ମୁକାବିଲାରେ ଲାଗିଛନ୍ତି । ହେଲେ ବାସ୍ତବରେ ଲୋକ ପ୍ରତିନିଧିମାନେ ଯେପରି ଭାବେ ଲୋକମାନଙ୍କୁ ସଚେତନ କରିପାରିବେ ଓ ଲୋକମାନେ ସେମାନଙ୍କ କଥାକୁ ଯେମିତି ଶୁଣିବେ ଅଧିକାରି ବା ପୋଲିସଙ୍କ କଥା ସେଭଳି ଶୁଣିବେ ନାହିଁ । ହେଲେ କାହିଁକି କେଜାଣି ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ସଭ୍ୟ, ସରପଂଚ ମାନଙ୍କୁ ଏହି କରୋନା ମୁକାବିଲାରେ ସାମିଲ କରାଗଲା ନାହିଁ ।
୰ ବାହାରେ କାମ କରିକି ଘରକୁ ଫେରିଥିବା ଶ୍ରମିକ, କର୍ମଜିବିମାନେ ଏବେ ଗାଁରେ ରହୁଛନ୍ତି । ସେମାନେ କ୍ୱାରୋଟାଂଇନ ମାନୁଛନ୍ତି କି ନାହିଁ ତାକୁ ଜଗିବ କିଏ । ଯଦି ପ୍ରଥମାବସ୍ଥାରେ ସରପଂଚ ଓ ସହରାଂଚଳରେ କାଉନସିଲରମାନଙ୍କୁ ଏ ଦିଗରେ ସାମିଲ କରାଯାଇ ପ୍ରଶିକ୍ଷିତ କରାଯାଇଥାନ୍ତା ତାହେଲେ ସେମାନେ ବାହାରୁ ଆସୁଥିବା ଲୋକମାନଙ୍କୁ ସ୍କୁଲ ଘରେ, ପଂଚାୟତ ଘରେ ବା କଲ୍ୟାଣ ମଣ୍ଡପ ଆଦିରେ ୧୪ ଦିନ ପାଇଁ ରଖିବାର ବନ୍ଦୋବସ୍ତ କରିପାରିଥାନ୍ତେ । ବର୍ତମାନ ସେମାନେ ଏବେ ସମସ୍ତେ ଗାଁ ଗାଁରେ ସ୍ୱଛନ୍ଦରେ ବୁଲୁଛନ୍ତି । ଭଗବାନ ଭରଷା, କିଛି ନହେଉ ।
୰ ସରକାରଙ୍କ ଟୋଲ ଫ୍ରି ହେଉଛି ଆଉ ଏକ ସମସ୍ୟା । ସରକାର ଜାରି କରିଥିବା ଟୋଲ ଫ୍ରି ୧୫୫୩୩୫ରେ ଫୋନ କଲେ ସେପଟୁ ସବୁ ଶୁଣିଲା ପରେ କହୁଛନ୍ତି ୧୦୪ ଫୋନ କର ନହେଲେ ଜିଲ୍ଲାପାଳ କିମ୍ବା ସ୍ଥାନୀୟ ଥାନାକୁ ଫୋନ କର । ତାହେଲେ ସରକାର କାହିଁକି ଟୋଲ ଫ୍ରି ନମ୍ବର ଜାରି କରିଥିଲେ? କରୋନା ସମ୍ବଦ୍ଧିୟ ସବୁ ଅଭିଯୋଗ ଓ ସମସ୍ୟାକୁ ସରକାର ସେଟ୍ରାଂଲାଇଜ କରି ତାକୁ ସରକାର ନିଜେ ନିଜ ସ୍ତରରେ ସମାଧାନ କଲେ ସୁବିଧା ହୁଅନ୍ତା । ଫୋନ କରିଥିବା ଲୋକ ଘରଠାରୁ ଥାନା କେତେ ଦୂର, ତା ପାଖରେ ଜିଲ୍ଲାପାଳ ବା ଥାନା ଅଧିକାରିଙ୍କର ନମ୍ବର ଅଛି କି ନାହିଁ, ଥାନା ବା ଜିଲ୍ଲାପାଳଙ୍କ ଅଫିସରେ ଥିବା ଲ୍ୟାଣ୍ଡଲାଇନ ନମ୍ବର ଚାଲୁଛି କି ନାହିଁ ଏସବୁ କଥାର ସମାଧାନ କିଏ କରିବ ?
୰ ଲକଡାଉନ ସେତେବେଳେ ସଫଳ ହେବ ଯେତେବେଳେ ଲୋକମାନେ ସ୍ୱତପ୍ରବୃତଃ ଭାବେ ନିଜ ଘରେ ରହିବେ । ଯଦି ପୋଲିସ ତାର ଲାଠିକୁ ଅର୍ଜୁନଙ୍କର ଗାଣ୍ଡିବ ଭାବେ ଏବଂ ପିନ୍ଧିଥିବା ମାଟିଆ ପୋଷାକକୁ ବାଘର ଚମଡା ଭାବେ ତାହେଲେ କେବେବି ଏହି ଲକଡାଉନ ସଫଳ ହେବ ନାହିଁ । ମଣିଷ ଏକ ସାମାଜିକ ପ୍ରାଣୀ । ସବୁବେଳେ ବାହାରେ ବୁଲୁଥିବା ଲୋକଟିଏ ହଠାତ ଘରେ ରହିଲା ବେଳକୁ ସେ ନିଜକୁ ସେଥିପାଇଁ ପ୍ରସ୍ତୁତ କରିବା ଦରକାର । ବର୍ତମାନ ପୋଲିସ ଏ ଛକରେ ଜଗିଲେ ଲୋକେ ଆର ଛକରେ ବାହାରୁଛନ୍ତି । ସାଙ୍ଗରେ ଗଲାବେଳେ ଖଣ୍ଡେ ଖଣ୍ଡେ ଡାକ୍ତରଙ୍କ ଔଷଧ ଚିଠା ଧରିକି ବାହାରୁଛନ୍ତି । ପୋଲିସ ଜଗିଲେ ତାକୁ ଦେଖାଇ ଦେଇ ପାର । ତେଣୁ ଲକଡାଉନର ଅସଲ ଉଦ୍ଦେଶ୍ୟ ସାଧିତ ହେଉନାହିଁ । ଯେବେ ଯାଏଁ ଲୋକେ ନିଜେ ନବୁଝିନାହାନ୍ତି ସେବେଯାଏଁ ଏପରି ଚାଲିଥିବ । ସରକାର ଏହି ଦାୟୀତ୍ୱ କେବଳ ପୋଲିସ ହାତରେ ନଦେଇ ବିଭିନ୍ନ ସାମାଜିକ ସଙ୍ଗଠନ, ପଂଚାୟତ ସ୍ତର ଓ ମୁନିସିପାଲିଟର ଜନପ୍ରତିନିଧି, ଶୀକ୍ଷକ ସମାଜକୁ ସାମିଲ କରିବା କଥା ଯାହା ଏବେ ଯାଏଁ ସରକାର କରିଲେ ନାହିଁ ।
ଏହି ଲଢେଇ କେବଳ ସରକାରଙ୍କର ନୁହେଁ, କି ଯିଏ ରୋଗରେ ପଡିଛି ତାର ନୁହେଁ, କି ତାର ପରିବାରର ନୁହେଁ । କରୋନା ବିରୋଧରେ ଏହି ଲଢେଇ ଆମ ସମସ୍ତଙ୍କର । କାରଣ କାଲି ଏହା ମୋତେ ଆକ୍ରାନ୍ତ କରିପାରେ, ପଅରଦିନ ଆପଣଙ୍କୁ, ଆଉ ତାପରେ ସମସ୍ତଙ୍କୁ । ଏଭଳି ଆର୍ନ୍ତଜାତୀୟ ଓ ଜାତୀୟ ବିପତି କାଳରେ ଆମକୁ ପରିସ୍ଥିତିକୁ ସାମନା କରିବାକୁ ପଡିବ । ଯେଉଁମାନେ ରୋଗରେ ଲଢୁଛନ୍ତି ଓ ଯେଉଁମାନେ ରୋଗୀଙ୍କ ପାଇଁ ଲଢୁଛନ୍ତି ସେମାନଙ୍କ ସହିତ ଠିଆ ହେବାକୁ ପଡିବ । ଜୟ ଜଗନ୍ନାଥ ।
ଅନିଲ କୁମାର ବିଶ୍ୱାଳ