ସାଧାରଣତନ୍ତ୍ର ଦିବସ ପରେଡ୍ରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିବାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ଚଳିତ ବର୍ଷ ଓଡିଶାର ଥିମ ଥିଲା ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କୁ ନେଇ । ହେଲେ ଲଗାତର ଦ୍ୱିତୀୟ ବର୍ଷ ଲାଗି ଓଡିଶା ମଡେଲ ଅଗ୍ରାହ୍ୟ ହୋଇଛି । ଗତ ଡିସେମ୍ବର ୨୩ରୁ ବାଦ୍ ପଡିଥିଲେ ବି ସରକାରୀ ସ୍ତରରେ କିନ୍ତୁ କୌଣସି ତତ୍ପରତା ପ୍ରକାଶ ପାଇନି । ଯେଉଁଠି କି ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି ।
୭୩ତମ ସାଧାରଣତନ୍ତ୍ର ଦିବସ ଲାଗି ଓଡିଶା ପକ୍ଷରୁ ୬ଟି ଡିଜାଇନ୍ ପଠାଯାଇଥିଲା ସେଗୁଡିକ ହେଲା; ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଗଜପତି ଓ ଚାଖୀ ଖୁଣ୍ଟିଆ, ସ୍ୱାଧିନତା ସଂଗ୍ରାମୀ ଓ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ୱାଧୀନତା ପରେ ବିକାଶ, ଓଡିଶା ଓ ହକି, ଓଡିଶା ଓ ପ୍ରାକୃତିକ ବିପର୍ୟ୍ୟୟ । କେବଳ ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ ମଡେଲକୁ ଚୟନ କରାଯାଇଥିବାବେଳେ ଅନ୍ୟ ୫ଟି ମଡେଲକାଟ୍କୁ ଚୟନ କରାଯାଇନାହିଁ । ସବୁ ଠିକ୍ ଠାକ୍ ଥିବାବେଳେ ଚତୁର୍ଥ ରାଉଣ୍ଡରେ ବାଦ ପଡିଥିଲା ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ ମଡେଲ । ପ୍ରତ୍ୟାଖ୍ୟାନ ପଛରେ ସେଭଳି ବଡ଼ କାରଣ ବି କିଛି ଦର୍ଶାଯାଇନାହିଁ ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଓଡ଼ିଶା ଭଳି ତାମିଲନାଡ଼ୁ, କେରଳ ଓ ପଶ୍ଚିମ ବଙ୍ଗର ମଡେଲକୁ ବି ପ୍ରତ୍ୟାଖ୍ୟାନ କରିଛି କେନ୍ଦ୍ରୀୟ ଚୟନ କମିଟି । ହେଲେ ପ୍ରତ୍ୟାଖିତ ହେବା ପରେ ଏ ତିନି ରାଜ୍ୟରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ର ବିରୋଧରେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏନେଇ ତାଙ୍କର ହସ୍ତକ୍ଷେପ ଲୋଡିଛନ୍ତି । ହେଲେ ସମାନ ପ୍ରସଙ୍ଗରେ କିନ୍ତୁ ଓଡିଶା ସରକାର ଚୁପ୍ ଶାସକ ବିଜେଡି ଘଟଣାକୁ କେବଳ ନିନ୍ଦା କରିଥିଲେ ସୁଦ୍ଧା ବିଧିବଦ୍ଧ ଭାବେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ ।
ପ୍ରତିରକ୍ଷା ବିଭାଗ ଅଧିନରେ ଥିବା କେନ୍ଦ୍ରୀୟ ଚୟନ କମିଟି ପ୍ରଜ୍ଞାପନ ମେଢ ଚୟନ କରିଥାଏ । ତେବେ ଚୟନ କମିଟିର ଓଡ଼ିଶା ମଡେଲ୍କୁ ପ୍ରତ୍ୟାଖ୍ୟାନ ପଛରେ ଅନ୍ୟ କିଛି କାରଣ ନାହିଁ ତ? ତାକୁ ନେଇ ବି ପ୍ରଶ୍ନ ଉଠିଲାଣି କାହିଁକି ନା ୧୮୧୭ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାରୁ ପୂର୍ବରୁ ଅଗ୍ରାହ୍ୟ କରିଦେଇଛନ୍ତି ।
ଲଗାତର ଦ୍ୱିତୀୟ ବର୍ଷ ପାଇଁ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଉନାହିଁ ଓଡିଶାର ପ୍ରଜ୍ଞାପନ ମେଢ । ଶେଷଥର ପାଇଁ ୨୦୨୦ ମସିହାରେ ଦିଲ୍ଲୀ ରାଜପଥରେ ଓଡିଶାର ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣାରଥ ପ୍ରଜ୍ଞାପନ ମେଢ ଗଡିଥିଲା । ସେତେବେଳେ ଏହା ବିଶେଷ ଭାବେ ଆଦୃତ ହୋଇଥିବାବେଳେ ଏହାପରଠାରୁ ଆଉ ଓଡିଶା ମେଢ ଦିଲ୍ଲୀରେ ଗଡୁନି । ୨୦୨୧ ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପାଇଁ ଓଡ଼ିଶା ସରକାରଙ୍କ ଜଗନ୍ନାଥ ସଂସ୍କୃତି ଏବଂ ବୌଦ୍ଧ ସଂସ୍କୃତି ଆଧାରିତ ବିଷୟବସ୍ତୁକୁ ବିଶେଷଜ୍ଞ କମିଟି ଚୟନ କରିନଥିଲା।
୧୯୫୨ ମସିହାରେ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମେ ସାମିଲ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ୧୨ ଥର ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ୨୦୨୦ରେ ମଧ୍ୟ ଏହା ପ୍ରଦର୍ଶିତ ହୋଇଥିଲା ।
ଏଥର ସ୍ୱାଧୀନତାର ୭୫ ବର୍ଷ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥିପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଚୟନ କମିଟି ଗଠନ କରାଯାଇଛି ।