କରୋନା ବିରୋଧରେ ସବୁଠାରୁ ଆଗଧାଡିରେ ଲଢୁଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଖୁସି ଖବର । ଉତର ପ୍ରଦେଶ ଭଳି ଓଡିଶାରେ ବି ଯଦି କରୋନା ମୁକାବିଲା ବେଳେ କୌଣସି ସ୍ଥାନରେ ଚିକିସ୍ତ୍ରା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପରେ କିଏ ଆକ୍ରମଣ କରେ ତାହେଲେ ରାଜ୍ୟ ସରକାର ଆକ୍ରମଣକାରୀ ବିରୋଧରେ ନେବେ କଡା ପଦକ୍ଷେପ । ଆକ୍ରମଣକାରିଙ୍କ ବିରୋଧରେ ଏନଏସଏ(ରାଷ୍ଟ୍ରୀୟ ନିରାପତା ଆଇନ) ଲଗାଯିବ । ରାଷ୍ଟ୍ରଦ୍ରୋହ ଅପରାଧରେ ସେମାନଙ୍କୁ ଗିରଫ କରାଯିବା ସହିତ ଏନଏସଏ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଉତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ବହୁ ପୂର୍ବରୁ ଏହିପରି କରି ତାଙ୍କ ରାଜ୍ୟରେ ଅଭ୍ୟାସଗତ ବିଶୃଙ୍ଖଳାକାରିମାନଙ୍କୁ ଜବତ କରିସାରିଛନ୍ତି ।
ଉତର ପ୍ରଦେଶର ମୋରାଦାବାଦରେ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ତବଲିଗ ଜମ୍ମାତର ଲୋକମାନଙ୍କ ବିରୋଧରେ ଏନଏସଏ ଲାଗୁକରାଯାଇ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କର ସମ୍ପତିବି ଜବତ କରାଯାଇଛି । ସେହିପରି ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅସଦାଚାରଣ କରିଥିବା ରୋଗି ମାନଙ୍କ ବିରୋଧରେ ଯୋଗୀ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଏବେ ଓଡିଶା ସରକାରଙ୍କର ଏହି ପଦକ୍ଷେପ ନିଶ୍ଚିନ୍ତଭାବେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମନୋବଳ ବଢାଇବ ।