ପଂଜାବ ସହିତ ଛତିଶଗଡ ଓ ଅନ୍ୟ ରାଜ୍ୟ ମାନଙ୍କରେ କଂଗ୍ରେସ ଆଭ୍ୟନ୍ତରିଣ ଲଢେଇରେ ବ୍ୟସ୍ତ ଅଛି । ପଂଜାବର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ପଦରୁ ହଟାଇବା ପରେ କଂଗ୍ରେସର ଅନେକ ବରିଷ୍ଠ ନେତା ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରି ସାରିଛନ୍ତି ।
କପିଲ ସିବଲ ଖୋଲାଖୋଲି ଭାବେ କଂଗ୍ରେସ ନେତୃତ୍ୱର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଥିଲେ ଯେ କଂଗ୍ରେସରେ ବର୍ତମାନ ନିଷ୍ପତି କିଏ ନେଉଛି ତାହା ଜଣା ପଡୁ ନାହିଁ । ଅବଶ୍ୟ ତାଙ୍କୁ ଏହାର ଦଣ୍ଡ ମଧ୍ୟ ମିଳିଛି । କଂଗ୍ରେସର କର୍ମୀ ମାନେ ତାଙ୍କ ଘର ସାମନାରେ ବିରୋଧ ପ୍ରଦର୍ଶନ କରିବା ସହ ତାଙ୍କର ଗାଡି ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ।
ଏହି ତାଲିକାରେ ଏବେ ଯୋଡି ହୋଇଯାଇଛନ୍ତି ନଟବର ସିଂହ । ନଟବର ସିଂହ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ । ଏକଦା ସେ ରାଜୀବ ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ।
ସେ ଜାତୀୟ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ଗାନ୍ଧୀ ପରିବାର ବିରୁଦ୍ଧରେ ବର୍ଷିଛନ୍ତି । ତାଙ୍କୁ ପଂଜାବରେ ନେତୃତ୍ୱ ପରିବର୍ତନ ନେଇ ପ୍ରଶ୍ନ କରାଯାଇଥିଲା ।
ନଟବର ସିଂହ ଏହାର ଉତ୍ତରରେ କହିଥିଲେ –
“ପଂଜାବରେ ଯାହା ହେଲା ତାହା ହେବା ଉଚିତ ନ ଥିଲା । ଦେଶରେ ବର୍ତମାନ ଏକ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଥିବା ବେଳେ କଂଗ୍ରେସ କିଛି କରୁ ନାହିଁ । ଯାହାଙ୍କ ନିକଟରେ କୌଣସି ପଦ ନାହିଁ, ସେମାନେ କଂଗ୍ରେସରେ ନିଷ୍ପତି ଗ୍ରହଣ କରୁଛନ୍ତି । ଏପରି କାରଣରୁ କଂଗ୍ରେସରେ ଅସନ୍ତୋଷ ବଢୁଛି ଓ ଲୋକ ମାନଙ୍କ ମଧ୍ୟରେ ଭୁଲ ବାର୍ତା ଯାଉଛି ।
ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରି ନଟବର କହିଛନ୍ତି ଯେ – ପଂଜାବର ରାଜନୀତି ସମ୍ପର୍କରେ ନ ଜାଣି ସେଠାକାର ରାଜନୀତିରେ ହସ୍ତକ୍ଷେପ କରିବା ଉଚିତ ନ ଥିଲା । ସେ ଉତ୍ତର ପ୍ରଦେଶର ପ୍ରଭାରୀ ତେଣୁ ତାଙ୍କୁ ପଂଜାବରେ ହସ୍ତକ୍ଷେପର ଆବଶ୍ୟକତା ନ ଥିଲା । ସେ ନବଜୋତ ସିଂହ ସିଦ୍ଧୁଙ୍କ ଇତିହାସ ନ ଜାଣି ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ କରି ଦେଲେ । ଅମରିନ୍ଦର ସିଂ କଂଗ୍ରେସ ହାଇକମାଣ୍ଡଙ୍କୁ ଏପରି ନ କରିବାକୁ ପରାମର୍ଶ ଦେଇଥିଲେ । ହେଲେ ତାଙ୍କ କଥା ଶୁଣା ଗଲା ନାହିଁ । କଂଗ୍ରେସ ହାଇକମାଣ୍ଡ ପାର୍ଟିର ସର୍ବନାଶ କରୁଛନ୍ତି ।
ଯଦି ଏପରି ସ୍ଥିତି ଲାଗି ରହେ ତେବେ କଂଗ୍ରେସ ଲୁପ୍ତ ହେବା ନିଶ୍ଚିତ । ଆଗାମୀ ପାଂଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସର ପରାଜୟ ହେବ ।”