୧୯୪୭ ମସିହା ଅଗଷ୍ଟ ମାସ ୧୪- ୧୫ ତାରିଖ । ବିଭିନ୍ନ ସହରରେ ଉତ୍ସବ ମୁଖର ଥାଏ । ସବୁ ଆଡେ ଉତ୍ସବର ବାତାବରଣ । ଭାରତ ସ୍ୱାଧୀନତା ପାଇଥିବାରୁ କଂଗ୍ରେସ ହାଇକମାଣ୍ଡ ଏକ ନିର୍ଦେଶ ଜାରି କରିଥାନ୍ତି । ଏହି ନିର୍ଦେଶରେ ସାମୁହିକ ଭାବେ ଅଲଗା ଅଲଗା ସ୍ଥାନରେ ଉତ୍ସବ ପାଳନ କରା ଯିବା କଥା କହିବା ସହ ଦୀପାବଳୀକୁ ଫିକା କରି ଦେଉଥିବା ଭଳି ଆଲୋକ ସଜ୍ଜା କରା ଯିବାକୁ କୁହା ଯାଇଥାଏ । । ବିଶେଷ ଭାବେ ଦେଶର ରାଜଧାନୀ ଦିଲ୍ଲୀରେ ଏହାର ବିଶେଷ ଆୟୋଜନ ହେଉଥିଲା । ଦିଲ୍ଲୀକୁ ଏଭଳି ଭାବେ ସଜା ଯାଇଥାଏ ଯେ ଯେପରି କି ଇନ୍ଦ୍ରଙ୍କ ନଗରୀ ମଧ୍ୟ ଏହା ସାମନାରେ ଫିକା ପଡି ଯିବ । ଲୋକ ମାନେ ଖୁସିରେ ନାଚୁଥିଲେ । ଲୋକ ମାନେ ସମବେତ ଭାବେ ଲାଲକିଲା ଆଡକୁ ଅଗ୍ରସର ହେଉଥିଲେ । ଲାଲକିଲା ଆଡକୁ ଏଭଳି ଭାବେ ଜନପ୍ରବାହ ହେଉଥିଲା ଯେ ଯେପରି ନଦୀରେ ବଢି ଆସିଛି । ସବୁ ଆଡେ ବାଣର ଶବ୍ଦ ଶୁଭୁଥିଲା । ଜବାହର ଲାଲ ନେହରୁ ଓ ମାଉଂଟବ୍ୟାଟେନ ମଧ୍ୟ ଲାଲ କିଲା ଆଡକୁ ଅଗ୍ରସର ହେଉଥିଲେ । ନେତା ମାନେ ହାତ ହଲାଇ ଜନସାଧାରଣଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଥିଲେ । ରକ୍ତର ଗୋଟିଏ ବିନ୍ଦୁ ନ ବହି, ବିନା ଖଡ୍ଗ ଓ ବିନା ଢାଲରେ ବିଦେଶୀ ମାନଙ୍କୁ କ୍ଷମତାଚ୍ୟୁତ କରି ସ୍ୱାଧୀନତା ମିଳିଥିବା ଭାବ ପ୍ରକଟ କରୁଥିବା ଗୀତ ବାଜୁଥିଲା । ସବୁ ଆଡେ ପୁଷ୍ପବର୍ଷା ହେଉଥିଲ।।
ଠିକ ସେତିକି ବେଳେ ଅନ୍ୟ ଏକ ଦୃଶ୍ୟ ମଧ୍ୟ ପ୍ରତୀୟମାନ ହେଉଥିଲା । ଏହି ଦୃଶ୍ୟ ଅତ୍ୟନ୍ତ ଊୟଙ୍କର ଓ ବିଭତ୍ସ ଥିଲା । ଭାରତ ମାତାର ଶରୀରକୁ ଦୁଇ ଖଣ୍ଡରେ ଖଣ୍ଡିତ କରି ଦିଆ ଯାଇଥିଲା । ଭାରତର ମାଟି ଉପରେ ଭାରତ ବିରୁଦ୍ଧରେ ଘୃଣା ଓ ଶତ୍ରୁତାରେ ପରିପୂର୍ଣ ପାକିସ୍ତାନ ନାମରେ ଏକ କୃତ୍ରିମ ଦେଶ ଜନ୍ମ ଗ୍ରହଣ କରି ସାରିଥିଲା । ଏହି ବିଭାଜନର ବିଭୀଷିକାକୁ ଲକ୍ଷ ଲକ୍ଷ ଲୋକ ଭୋଗୁଥିଲେ । ଦିଲ୍ଲୀରେ ଉତ୍ସବ ପାଳନ ହେଉଥିବା ବେଳେ ଲାହୋର, ମୁଲତାନ, ଲାୟଲପୁର, ସିଆଲକୋଟ, କରାଚୀରୁ ସମୂହ ସମୂହ ହୋଇ ଲୋକ ମାନେ ଦିଲ୍ଲୀ ଆଡକୁ ଅଗ୍ରସର ହେଉଥିଲେ । ହେଲେ ଏହି ସମୁହ ଲାଲ କିଲା ଆଡକୁ ଅଗ୍ରସର ହେଉଥିବା ଲୋକଙ୍କ ପରି ଖୁସି ନାଚ କରି ଆସୁ ନ ଥିଲେ । ସେମାନଙ୍କ ଉପରେ ପ୍ରତି କ୍ଷଣରେ ମୃତ୍ୟୁର ଭୟ ଥିଲା । ସେମାନେ ସେମାନଙ୍କର ପୂର୍ବ ପୁରୁଷ ମାନଙ୍କର ଭିଟା ମାଟି, ନିଜର ଜନ୍ମ ମାଟି, ନିଜର ଧନ ସମ୍ପତି, ନିଜର ଘର ବାଡି ସବୁ କିଛି ଛାଡି ଜୀବନ ବଂଚାଇବାକୁ ଦିଲ୍ଲୀ ଆଡକୁ ବଢୁଥିଲେ । ସେମାନେ ନିଜର କଠିନ ପରିଶ୍ରମରେ ତିଆରି କରି ଥିବା ଭବ୍ୟ ପ୍ରାସାଦ ଓ ଅନ୍ୟ ସବୁ କିଛି ଛାଡି ଆସୁଥିଲେ । ଏହି ଅଭାଗା ମାନଙ୍କ ନିକଟରେ ସେ ବିଷୟରେ ମନେ ପକାଇବାକୁ ମଧ୍ୟ ସୁେ ଯାଗ ନ ଥିଲା । ସେମାନଙ୍କ ନିକଟରେ ଚପଲ ମଧ୍ୟ ନ ଥିଲା । ସେଠାରୁ ଆସୁଥିବା ଗର୍ଭବତୀ ମହିଳା ମାନେ ଜଙ୍ଗଲ ମଧ୍ୟରେ ପ୍ରସବ କରିବାକୁ ବାଧ୍ୟ ହେଉଥିଲେ । ସେଠାରେ କିଛି ସମୟ ଅଟକି ନବଜାତ ଶିଶୁକୁ ଯତ୍ନ କରିବାକୁ ମଧ୍ୟ ତାଙ୍କ ନିକଟରେ ସମୟ ନ ଥିଲା । ମୃତ୍ୟୁ ତାଙ୍କର ଖୁବ ଦୃତ ଗତିରେ ପିଛା କରୁଥିଲା । ଏହି ସମୁହରେ ଆସୁଥିବା ଲୋକ ମାନେ ସୁରକ୍ଷିତ ନ ଥିଲେ । ରାସ୍ତାରେ ସେମାନଙ୍କ ଆକ୍ରମଣ ହେଉଥିଲା । ସେମାନେ ନିଜର ସାଥୀ ପରିବାରର ଲୋକ ମାନଙ୍କର ଶବକୁ ଦେଖି ଆସୁଥିଲେ । ରାସ୍ତାରେ ତାଙ୍କର ଅନେକ ଦିନ ଯାଏ ଖାଦ୍ୟ ମିଳୁ ନ ଥିଲା । ଏଭଳି ସ୍ଥଳେ ମାତା ମାନେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବେ କିପରି । ଶିଶୁ ମାନଙ୍କର ଚିତ୍କାର ଶୁଣିବାକୁ ମିଳୁଥିଲା ।
ପାକିସ୍ତାନକୁ ଚାଲି ଯାଇଥିବା ସହରର ବିଭିନ୍ନ ଅଂଚଳ ଧୁ ଧୁ ହୋଇ ଜଳୁଥିଲା । ଏହି ନିଆଁ ଆକାଶ ଛୁଉଁ ଥିଲା । ଜଳୁଥିବା ଘର ଗୁଡିକରେ ଫସି ରହିଥିବା ନର- ନାରୀ ଓ ପିଲା ମାନଙ୍କର ଆର୍ତ ଚିତ୍କାର ନିଆଁର ଆକାଶ ଛୁଆଁ ଉଚ୍ଚତାକୁ ମଧ୍ୟ ପାର କରି ଯାଉଥିଲା । ଯେଉଁ ଆଡେ ଦେଖିବେ କୁଢ କୁଢ ଶବ । ଅନେକ ଶବର ମୁଣ୍ଡକୁ ଶରୀର ଠାରୁ ଅଲଗା କରା ଯାଇ ପଡିଥିବା ଦେଖିବାକୁ ମିଳିଥିଲା । ସେନା ମଧ୍ୟ ସେଠାରେ ପହଂଚି ନିର୍ଦୋଷ ଲୋକଙ୍କ ଉପରେ ଗୁଳି ଚଳାଉଥିଲା । ମାନବିକତା ତ୍ରାହି ତ୍ରାହି ଡାକୁ ଥିଲା । ରାକ୍ଷସତ୍ୱ କ୍ରୁର ଅଟ୍ଟହାସ୍ୟ କରୁଥିଲା । ନିଲ୍ଲଜତା ମଧ୍ୟ ଲଜ୍ଜା ଅନୁଭବ କରୁଥିଲା । ପଶୁତା ମାନବିକତା ମୁହଁରେ ଛେପ ପକାଉ ଥିଲା ।
ନର ପିଶାଚ ମାନେ ମହିଳା ମାନଙ୍କୁ ଦୁଷ୍କର୍ମ କରୁଥିଲେ । ସେମାନଙ୍କୁ ଲୁଣ୍ଠନର ମାଲ ଭଳି ନିଲାମ କରା ଯାଉଥିଲା । ସଧବା ମାନେ ବିଧବା ହେଉଥିଲେ । ପିଲା ମାନେ ଅନାଥ ହୋଇ ଯାଉଥିଲେ । ରେଳଗାଡିରେ ଯିବା ମଧ୍ୟ ଆଦୌ ସୁରକ୍ଷିତ ନ ଥିଲା । ବିଭିନ୍ନ ସ୍ଥାନରେ ଆଖ ପାଖର ଲୋକ ଓ ଜେହାଦୀ ମାନେ ସମୂହରେ ଆସି ଟ୍ରେନକୁ ଅଟକାଇ ମାର କାଟ ଆରମ୍ଭ କରି ଦେଉଥିଲେ । ଟ୍ରେନ ଯେତେବେଳେ ଭାରତରେ ତାର ଗନ୍ତବ୍ୟ ଷ୍ଟେସନରେ ପହଂଚୁଥିଲା ସେତେବେଳେ ସେଠାରେ ଯାତ୍ରୀଙ୍କ ସ୍ଥାନରେ ସେମାନଙ୍କର ରକ୍ତ ଭିଜା ଶବ ପହଂଚୁଥିଲା । ଏହି ଶବ ଗୁଡିକୁ ପଠାଇ ଟ୍ରେନର ଶେଷ ଡବାରେ ଉର୍ଦୁରେ ‘ସ୍ୱାଧୀନ ଭାରତ ପାଇଁ ପାକିସ୍ତାନ ପକ୍ଷରୁ ଉପହାର’ ବୋଲି ଲେଖି ଦିଆ ଯାଉଥିଲା । ଏହି ବିଭତ୍ସ ଦୃଶ୍ୟ ମଧ୍ୟରେ ଅନେକ ସ୍ଥାନରେ ଶୌର୍ୟ୍ୟ ଓ ବଳିଦାନର କାହାଣୀ ମଧ୍ୟ ଦେଖିବାକୁ ମିଳୁଥିଲା । ଦେଶ- ଧର୍ମ ପାଇଁ ପ୍ରାଣ ବଳୀ ଦେବା ଲୋକ ମଧ୍ୟ କମ୍ ନ ଥିଲେ । ସବୁ କିଛି ହରାଇ ଭାରତ ଆଡକୁ ଆସୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବା ପାଇଁ ମଧ୍ୟ ଅନେକ କାମ କରା ଯାଉଥିଲା ।
ପ୍ରଥମ ଚିତ୍ରଟି ଅତ୍ୟନ୍ତ ପ୍ରସନ୍ନତା ଓ ଉତ୍ସାହ ଉଦ୍ଦୀପନାର ହୋଇଥିବା ବେଳେ ଦ୍ୱିତୀୟ ଦୃଶ୍ୟଟି ଅତ୍ୟନ୍ତ ବିଭତ୍ସ ଓ ମାନବିକତାକୁ ଲଜ୍ଜିତ କଲା ଭଳି ଥିଲା । ସେତେବେଳେ କଂଗ୍ରେସର ତତ୍କାଳୀନ ନେତୃତ୍ୱ ଯିଏ କ୍ଷମତା ହାସଲ ପାଇଁ ଦେଶ ବିଭାଜନକୁ ସ୍ୱୀକାର କରି ନେଇଥିଲା ସେମାନେ ମଧ୍ୟ ସ୍ଥିତିକୁ ଦେଖି କଣ କରା ଯିବ ତାହା ଜାଣି ପାରୁ ନଥିଲେ ।
ଲେରି କଲିନ୍ସ ଓ ଲାପିୟରଙ୍କ ଦ୍ୱାରା ଲିଖିତ ପୁସ୍ତକ ଫ୍ରିଡମ ଏଟ ମିଡନାଇଟରେ ଏପରି ଏକ ଘଟଣାର ଉଲ୍ଲେଖ କରା ଯାଇଛି । ଅଗଷ୍ଟ ମାସ ୧୪ ତାରିଖ ଦିନ ସଂଧ୍ୟାରେ ଜବାହର ଲାଲ ନେହେରୁ ରାତ୍ରୀ ଭୋଜନ କରିବାକୁ ବସିଥିଲେ । ତାଙ୍କ ସହ ତାଙ୍କ ଝିଅ ଇନ୍ଦିରା ଓ ଜଣେ ଅତିଥି ପଦ୍ମଜା ନାଇଡୁ ମଧ୍ୟ ବସିଥିଲା । ତାଙ୍କର ଅଧ୍ୟୟନ କକ୍ଷରେ ଥିବା ଟେଲିଫୋନର ଘଂଟି ହଠାତ ବାଜି ଥିଲା । ଫୋନର ରିସିଭର ଉଠାଇବା ପରେ ଜଣା ପଡିଥିଲା େ ଯ ଫୋନଟି ଲାହୋରରୁ ଆସିଛି । ଫୋନ କରୁଥିବା ବ୍ୟକ୍ତି ଜଣଙ୍କ କହୁଥିଲା ଯେ ଲାହୋରର ପୁରୁଣା ସହରରେ ହିନ୍ଦୁ ଶିଖ ମାନଙ୍କର ଘର ଗୁଡିକୁ ଜଳ ଯୋଗାଣ ବନ୍ଦ କରି ଦିଆ ଯାଇଛି । ଲୋକ ମାନେ ତ୍ରାହି ତ୍ରାହି କରୁଛନ୍ତି । ଭୀଷଣ ଗରମରେ ଶୋଷରେ ସେମାନଙ୍କର ବଂଚିବା ମୁସକିଲ ହୋଇ ଗଲାଣି । ଯଦି ଶୋଷ ମେଂଟାଇବାକୁ କୌଣସି ପିଲା ବା ମହିଳା ବାହାରକୁ ବାଲଟି ଧରି ପଡୋଶୀକୁ ମାଗିବାକୁ ଯାଉଛି ତେବେ ତାଙ୍କ ଉପରେ ଜିହାଦୀ ମାନେ ଆକ୍ରମଣ କରି ତାଙ୍କୁ ହତ୍ୟା କରି ଦେଉଛନ୍ତି । ଲାହୌର ଜଳୁଛି । ଆପଣ କିଛି କରନ୍ତୁ । ସେପଟୁ ଏଭଳି କରୁଣ ଶବ୍ଦ ଶୁଣି ନେହେରୁଙ୍କ ମୁହଁକୁ କଥା ବାହାରି ନ ଥିଲା । ତାଙ୍କର ଚେହେରା ହଳଦିଆ ହୋଇ ଯାଇଥିଲା ।
୧୪ ଓ ୧୫ ତାରିଖ ଦିନର ମଧ୍ୟ ରାତ୍ରୀରେ ସଂସଦର କେନ୍ଦ୍ରୀୟ ସଭାଗୃହରେ ନେହେରୁ ଅତ୍ୟନ୍ତ ଆଳଙ୍କାରିକ ଭାଷାରେ ଜାତି ନାମରେ ବାର୍ତା ଦେଇଥିଲେ । ସେ କହିଥିଲେ ଯେ - “ବର୍ଷ ବର୍ଷ ପୂର୍ବରୁ ଆମେ ନିୟତିକୁ ପାଇବାର ଯେଉଁ ସଂକଳ୍ପ କରିଥିଲେ ସେହି ନିୟତି ସହିତ ଆମର ମିଳନ ହୋଇ ସାରିଛି । ଏହାକୁ ଆମେ ପାଇ ସାରିଛୁ । ଠିକ ମଧ୍ୟ ରାତ୍ରୀରେ ଯେତେବେଳେ ସାରା ବିଶ୍ୱ ଶୋଇଥିବା ସେତେବେଳେ ଭାରତ ଜୀବନ ଓ ମୁକ୍ତିକୁ ନେଇ ଉଠିବ ।.... ”
ତାଙ୍କର ଏହି ଭାଷଣ ଶୁଣୁଥିବା ଜନସାଧାରଣ ନେହେରୁଙ୍କର ଏହି ଆଳଙ୍କାରିକ ଭାଷଣକୁ ଭଲ ଭାବେ ବୁଝି ପାରୁ ନଥିଲେ । ସେମାନଙ୍କ ମନରେ ପ୍ରଶ୍ନ ଆସୁଥିଲା ଯେ ନେହରୁ କେଉଁ ନିୟତିକୁ ପ୍ରାପ୍ତ କରିଥିବା କଥା କହୁଥିଲେ । କଣ ଭାରତର ବିଶେଷ ଭାବେ କଂଗ୍ରେସର ନେତା ମାନେ ଯେଉଁ ନିୟତିକୁ ପାଇବା କଥା କହୁଥିଲେ ସେଥିରେ ଭାରତମାତାକୁ ଖଣ୍ଡ ଖଣ୍ଡ କରି ବିଭାଜନ କରିବାର ସଂକଳ୍ପ ମଧ୍ୟ ଥିଲା ? କଣ ଏଭଳି ଲହୁ ଲୁହାଣ ଖଣ୍ଡିତ ଭାରତ ପାଇଁ ସେମାନେ ସ୍ୱପ୍ନ ଦେଖିଥିଲେ ।
ଭାରତକୁ କୌଣସି ଭୂଭାଗ ବୋଲି ନ ମାନି ଜୀବନ୍ତ ଆରାଧ୍ୟ ଦେବୀ ବୋଲି ମନେ କରୁଥିବା ଭାରତର ସନ୍ତାନ ମାନଙ୍କ ମନରେ ଥିଲା ଯେ ସେତବେଳର କଂଗ୍ରେସ ନେତୃତ୍ୱ ତାଙ୍କର ଜାତି ଉଦ୍ଦେଶ୍ୟରେ ଭାଷଣରେ ଜେହାଦୀ ମାନଙ୍କର ମାରକାଟର ଶୀକାର ହୋଇଥିବା ଲୋକଙ୍କ ପାଇଁ ଶବ୍ଦରେ ହେଲେ ମଧ୍ୟ ମଲମ ଲଗାଇବେ । ମାତ୍ର ନେହେରୁ ଏ ସମ୍ପର୍କରେ ପଦ ଟିଏ ହେଲେ କହି ନ ଥିଲେ । ଦିଲ୍ଲୀରେ ୧୪, ୧୫ ଓ ୧୬ରେ ଏଭଳି ଆଡମ୍ବରପୂର୍ଣ ଉତ୍ସବ ମାନ ଜାରୀ ରହିଥିଲା । ହେଲେ କେହି ଅଭାଗା ମାନଙ୍କ ପ୍ରତି ସହାନୁଭୁତି ପ୍ରକଟ କରିବା ଦେଖା ଯାଇ ନ ଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ ଅଗଷ୍ଟକୁ ବିଭାଜନ ବିଭୀଷିକା ଦିବସ ଭାବରେ ପାଳନ କରିବାକୁ ଗତ ବର୍ଷ ଆହ୍ୱାନ କରିଥିଲେ । ଏହି ଦିବସ ପାଳନ ହେବା ଦ୍ୱାରା ବିଭୀଷିକାକୁ ମନେ ପକାଇବା ସହ ଏଥିରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ ଏହାର ପୁନରାବୃତିକୁ କିଭଳି ରୋକି ହେବ ସେ ନେଇ କାମ କରି ହେବ ।
ଭାରତର ବିଭାଜନରେ ଯାହା ଘଟିଥିଲା ତାର ଉଦାହରଣ ବିଶ୍ୱର ଇତିହାସରେ କେଉଁଠି ମିଳେ ନାହିଁ । ଏହି ବିଷୟରେ କାମ କରୁଥିବା ଲୋକ ମାନଙ୍କ କହିବା ଅନୁସାରେ ଭାରତ ବିଭାଜନ କାରଣରୁ ଅତି କମରେ ୨ କୋଟି ଲୋକ ପ୍ରଭାବିତ ହୋଇଥିଲେ ଓ ସେମାନଙ୍କୁ ଘର ଦ୍ୱାର ଛାଡିବାକୁ ପଡିଥିଲା । ଅତି କମରେ ୧୦ ଲକ୍ଷ ଲୋକଙ୍କର ଭାରତ ବିଭାଜନ କାରଣରୁ ହତ୍ୟା କରା ଯାଇଥିଲା । ତେଣୁ ପ୍ରଧାନମନ୍ତ୍ରୀ ବିଭାଜନ ବିଭୀଷିକା ଦିବସ ପାଳନ କରିବାକୁ ଘୋଷଣା କରି ଏକ ଉଚିତ ଦିଗରେ ପଦକ୍ଷେପ ନେଇଛନ୍ତି ବୋଲି କହିବାକୁ ପଡିବ ।
ଭାରତ ବିଭାଜନ ପାଇଁ ଯେଉଁ ପାତ୍ର ମାନେ ଦାୟୀ ତାହା ଆମ ସମସ୍ତଙ୍କୁ ଜଣା । ଇଂରେଜ, ମୁସଲିମ ଲିଗ ଓ କଂଗ୍ରେସ । ତେବେ ବିଭାଜନ ପାଇଁ ଯେଉଁ କାରକ ଗୁଡିକ ଦାୟୀ ତା ଉପରେ ବିଚାର କରିବା ଆବଶ୍ୟକ । ଇସଲାମୀ ବିଛିନ୍ନତାବାଦକୁ ପ୍ରୋତ୍ସାହନ, ମୁସଲମାନ ତୁଷ୍ଟିକରଣ, ମୁସଲମାନ ମାନଙ୍କର ଅଲଗା ପରିଚୟ ସୃଷ୍ଟି କରିବା ଆଦି ମୁଖ୍ୟ କାରକ ଥିଲା । ଇଂରେଜ ମାନେ ଭାରତକୁ ବିଭାଜନ କରିବାର କାମ ସେମାନଙ୍କର ସାମ୍ରାଜ୍ୟବାଦୀ ସ୍ୱାର୍ଥର ପୂର୍ତି ପାଇଁ କରିଥିଲେ । ଇସଲାମୀ ଶକ୍ତି ମାନେ ଧୀରେ ଧୀରେ ମୁସଲମାନ ମାନଙ୍କୁ କଟର କରିବାରେ ଲାଗିଥିଲା । କଂଗ୍ରେସ କ୍ଷମତା ହାସଲ କରିବାକୁ ଭାରତ ବିଭାଜନର ଦାବିକୁ ମାନି ନେଇଥିଲା ଓ ମାନବିକତାର ଇତିହାସରେ ସବୁଠାରୁ ବିଭତ୍ସ ଘଟଣା ସାମନାକୁ ଆସିଥିଲା ।
ତେବେ ବର୍ତମାନ ପ୍ରଶ୍ନ ଉଠେ ଯେ ଭାରତ ବିଭାଜନର ବିଭୀଷିକାକୁ ଆମେ କଣ ଶିକ୍ଷା ଗ୍ରହଣ କରିବା ଉଚିତ । ଆଉ ଥରେ ସେପରି ସ୍ଥିତି ଉତ୍ପନ୍ନ ନ ହେବାକୁ ଦେବା ହେଉଛି ଏହି ପ୍ରସଙ୍ଗରେ ଶିକ୍ଷା । ତେବେ ଯଦି ଆମେ ସ୍ଥିତି ଉପରେ ଦୃଷ୍ଟି ପକାଇବା ତେବେ ଦେଖିବା ତେବେ ପାଇବା ଯେ ସେହି ସମାନ ପାତ୍ର ମାନେ ନାହାନ୍ତି । ଅନ୍ୟ ମାନେ ସେହି ପାତ୍ରର ଭୂମିକାରେ ଅଛନ୍ତି । ଏବେ ସେକୁଲାର ରାଜନୀତି ନାମରେ ଇସଲାମୀ ବିଛିନ୍ନତାବାଦକୁ ପ୍ରୋତ୍ସାହନ, ମୁସଲମାନ ତୁଷ୍ଟିକରଣ, ମୁସଲମାନ ମାନଙ୍କର ଅଲଗା ପରିଚୟ ସୃଷ୍ଟି କରିବା ଆଦି କାମ ଜାରୀ ରହିଛି । ବିଭିନ୍ନ ରାଜନୈତିକ ଦଳ ଭୋଟ ହାସଲ କରିବାକୁ ଏହାକୁ କରୁଛନ୍ତି । ବନ୍ଦେ ମାତରମକୁ ବିରୋଧ ହେଉ, ହିଜାବ ପିନ୍ଧି ପଢିବାକୁ ଯିବା ଦାବି କରିବା ହେଉ ବା ନିଜର ଅଲଗା ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିବା ହେଉ, ଏହି ସବୁ ପ୍ରୟାସ ଆଜି ମଧ୍ୟ ଚାଲିଛି । ସେକୁଲାରିଜମ ନାମରେ କିଛି ରାଜନୈତିକ ଦଳ ସେମାନଙ୍କୁ ସମର୍ଥନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଭାରତର ମୂଳ ମୁସଲମାନ ମାନଙ୍କ ମଧ୍ୟରେ ପେଟ୍ରୋ ଡଲାର ଜରିଆରେ କରା ଯାଇଥିବା ଇନଡକ୍ଟ୍ରିନେସନକୁ ରୋକିବାକୁ କଠୋର ପଦକ୍ଷେପ ନେବାକୁ ପଡିବ । ଇସଲାମୀ ଶାସନର ସ୍ୱପ୍ନ ଦେଖୁଥିବା ସଂସ୍ଥା- ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋରତମ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଏହା ହିଁ ବିଭାଜନ ବିଭୀଷିକା ଦିବସରୁ ଉଚିତ ଶିକ୍ଷା ହେବ ।