ଇସଲାମାବାଦ, 27 ସେପ୍ଟେମ୍ବର - ପାକିସ୍ତାନର ବଲୁଚିସ୍ତାନ ରାଜ୍ୟରେ ଗ୍ବାଦର ଠାରେ ଥିବା ମୋହମ୍ମଦ ଅଲି ଜିନ୍ନାଙ୍କର ପ୍ରତିମୂର୍ତିକୁ ବୋମା ବିସ୍ଫୋରଣରେ ଉଡାଇ ଦିଆ ଯାଇଛି । ବଲୁଚିସ୍ତାନକୁ ପାକିସ୍ତାନରୁ ସ୍ୱାଧୀନ କରିବାକୁ ଲଢୁଥିବା ବଲୁଚ ଲିବରେସନ ଆର୍ମୀ ଏହି କାମ କରିଛି ବୋଲି ଦାବି କରିଛି ।
ପାକିସ୍ତାନୀ ସମ୍ବାଦପତ୍ର ଡନରେ ପ୍ରକାଶିତ ଖବର ଅନୁସାରେ ଏହି ପ୍ରତିମୂର୍ତି ବଲୁଚିସ୍ତାନର ବନ୍ଦର ସହର ଗ୍ବାଦର ଠାରେ ରହିଥିଲା । ମେରିନ ଡ୍ରାଇଭରେ ଥିବା ଏହି ଅଂଚଳକୁ ଅତ୍ୟନ୍ତ ସୁରକ୍ଷିତ ବୋଲି ମନେ କରା ଯାଇଥାଏ । ଏହା ସତ୍ବେ ବଲୁଚିସ୍ତାନକୁ ସ୍ବାଧୀନ କରାଇବା ପାଇଁ ଲଢୁଥିବା ବଲୁଚ ଲିବରେସନ ଆର୍ମୀ ଏହାକୁ ବୋମାରେ ଉଡାଇ ଦେବା ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ପାକିସ୍ତାନ ଗ୍ବାଦର ବନ୍ଦରକୁ ଚୀନକୁ ଦେଇ ଦେଇଛି । ଏହା ଦ୍ବାରା ବଲୁଚିସ୍ତାନର ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି କାରଣରୁ ସେଠାରେ ପାକିସ୍ତାନ ଓ ଚୀନର ନାଗରିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେବାର ଦେଖିବାକୁ ମିଳିଛି ।