ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ ଜାତୀୟ ସ୍ତରରେ ପଦକ ବିଜେତାଙ୍କ ପାଇଁ ଭତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କ୍ରୀଡା ହଷ୍ଟେଲରେ ଝିଅ ପିଲାଙ୍କ ପାଇଁ ମାସିକ ଭତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ପୁଅ ପିଲା ମାନଙ୍କ ପାଇଁ ଭତା ମାସିକ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ନ୍ୟାସନାଲ ସ୍ପୋର୍ଟସ୍ ଫେଡେରେସନ୍ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବା ତତୁଲ୍ୟ ସ୍ତରର କ୍ରୀଡା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କାନ୍ତା ଦିଆଯିବ । ସେହିପରି ଜାତୀୟ ସ୍ତରର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡାବିତ୍ ମାନଙ୍କୁ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଏବଂ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତ୍ ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଏକ ବର୍ଷ ପାଇଁ ଭତା ଦିଆଯିବ । କ୍ରୀଡା ହଷ୍ଟେଲରେ ରହିଥିବା ଛାତ୍ର ଓ ଛାତ୍ରୀ ମାନେ ସେମାନଙ୍କ ମାସିକ ଭତା ସହିତ ଏହି ଅତିରିକ୍ତ ଭତା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଯଦି ମେଡାଲ ଜିତିଥିବା ଜଣେ କ୍ରୀଡାବିତ୍ ଏକ ଜାତୀୟ ରେକର୍ଡ ସୃଷ୍ଟି କରନ୍ତି ଏବଂ ସେହି ରେକର୍ଡ ଏକବର୍ଷ ମଧ୍ୟରେ ଭଙ୍ଗ ନହୁଏ, ତେବେ ସେହି କ୍ରୀଡାବିତଙ୍କୁ ଏକବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତା ଦିଆଯିବ ।
ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡାବିତ୍ ମାନଙ୍କୁ ମଧ୍ୟ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ଭତା ମିଳିବ । କ୍ରୀଡା ବିଭାଗର କୋଚ୍ ମାନଙ୍କ ପାଇଁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାରଦର୍ଶିତା ଭିତିରେ କ୍ରୀଡା ବିଭାଗ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
୫-ଟି କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇ ସେମାନଙ୍କ ଉତମ ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଭତା ବୃଦ୍ଧି କରାଯାଇଛି ।