ଆସନ୍ତାକାଲି କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ହାଇଭୋଲଟେଜ୍ ଦିନିକିଆ ମ୍ୟାଚ୍ । ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୧-୧ରେ ବରାବର ରହିଛି । ତେଣୁ ଆସନ୍ତାକାଲିର ମ୍ୟାଚ୍ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ । ଭାରତ ଏହି ମ୍ୟାଚ୍ ଜିତି କ୍ରମାଗତ ଦଶମ ଦ୍ୱିପାକ୍ଷିକ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଚେନ୍ନାଇ ଭଳି ବାରବାଟୀ ଦିନିକିଆ ଜିତିବାକୁ ଚେଷ୍ଟା କରିବ ।
ଅନ୍ୟପକ୍ଷରେ ଶନିବାର ଦିନ ଉଭୟ ଦଳର ଖେଳାଳୀ ବାରବାଟୀରେ ଅଭ୍ୟାସ କରିଛନ୍ତି । ଅଭ୍ୟାସ ମ୍ୟାଚ୍ ଦେଖିବାପାଇଁ ଷ୍ଟଆଡିୟମ୍ ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।
ବ୍ୟାଟିଂରେ ଭାରତ ଇଣ୍ଡିଜ୍ ଦଳ ଅପେକ୍ଷା ବହୁତ ମଜଭୁତ୍ ରହିଛି । ଓପନର ରାହୁଲ୍ ଓ ରୋହିତ୍ ଜବରଦସ୍ତ ଫର୍ମରେ ରହିଛନ୍ତି । ରୋହିତ୍ ପ୍ରଥମ ମ୍ୟାଚରେ ୩୬ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୧୫୯ ରନର ଦମଦାର ଇନିଂସ୍ ଖେଳିଥିଲେ । ରାହୁଲ ମଧ୍ୟ ବିଶାଖାପାଟଣାରେ ୧୦୨ ରନ୍ କରିଥିଲେ । ଆସନ୍ତାକାଲି ମଧ୍ୟ ସେମାନେ ଜବରଦସ୍ତ ଓପନିଂ କରିପାରନ୍ତି । ତେବେ କ୍ୟାପଟେନ୍ ବିରାଟ୍ କୋହଲି (୪ ଓ ୦) ଦୁଇଟି ଯାକ ମ୍ୟାଚରେ ବିଫଳ ହୋଇଛନ୍ତି । ବାରବାଟୀରେ ବିରାଟ କେମିତି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ତେଣୁ ଆସନ୍ତାକାଲିର ମ୍ୟାଚ୍ ହାଇ ସ୍କୋରିଂ ହୋଇପାରେ । ଅପରପକ୍ଷରେ ଫିଲ୍ଡିଂରେ ଭାରତ ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ କରିଛି । ଏହାଛଡ଼ା ଟିମର ବୋଲିଂରେ ମଧ୍ୟ ସେଭଳି ଗଭୀରତା ଦେଖିବାକୁ ମିଳିନାହିଁ । କେବଳ ମହମ୍ମଦ ଶାମିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିନାହାନ୍ତି ।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଟିମ୍ ୧୩ ବର୍ଷ ହେବ ଭାରତରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଜିତି ନାହିଁ । ତେଣୁ ୱେଷ୍ଟଇଣ୍ଡିଜ୍ ଟିମ୍ ଏହି ଦୀର୍ଘଦିନର ବ୍ୟବଧାନର ଅନ୍ତ ଘଟାଇବାକୁ ·ହିଁବ । ଟିମ୍ ପାଇଁ ବୋଲିଂ ମୁଖ୍ୟ ସମସ୍ୟା ହୋଇଛି । ଭାରତର ଶକ୍ତିଶାଳୀ ବ୍ୟାଟିଂଲାଇନକୁ ରୋକିବାକୁ ହେଲେ ଟିମର ବୋଲିଂ କୁ ମଜଭୁତ୍ କରିବାକୁ ପଡ଼ିବ । ତେବେ ଟିମର ବ୍ୟାଟିଂଲାଇନ୍ ଦୃଢ ରହିଛି । ଯୁବ ବ୍ୟାଟ୍ସମ୍ୟାନ୍ ଶାଇ ହୋପ୍, ଶିମରନ୍ ହେଟମେୟର୍ ଓ ନିକୋଲାସ ପୁରନଙ୍କ ପ୍ରଦର୍ଶନ ଟିମ୍ ର ମନୋବଳକୁ ଦୃଢ କରିପାରିଛି ।
ୱେଷ୍ଟଇଣ୍ଡିଜ୍ ଚେନ୍ନାଇରେ ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ଭାରତ ବିଶାଖାପାଟଣାରେ ବଡ଼ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତନ କରିଥିଲା । ଦ୍ୱିତୀୟ ମ୍ୟାଚରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ବଳରେ ଭାରତ ୩୮୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଏହା ପରେ କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ ସଫଳତା ବଳରେ ଭାରତ ଇଣ୍ଡିଜ୍ ଟିମକୁ ୨୮୦ ରନରେ ସୀମିତ ରଖିଥିଲା ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିରାଟ୍ କୋହଲି (କ୍ୟାପଟେନ୍), ଶ୍ରେୟସ୍ ଆୟର୍, ଋଷଭ ପନ୍ତ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନଭଦୀପ ସାଇନି, ମହମ୍ମଦ ଶାମି, ଶାର୍ଦ୍ଧୁଲ ଠାକୁର/ୟୁଜବେନ୍ଦ୍ର ଚହଲ୍
ୱେଷ୍ଟଇଣ୍ଡିଜ୍: ଏଭିନ୍ ଲୁଇସ୍, ଶାଇ ହୋପ, ଶିମରନ୍ ହେଟମେୟର, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, କାଇରନ୍ ପୋଲାର୍ଡ (କ୍ୟାପଟେନ୍), ଜେସନ୍ ହୋଲ୍ଡର, ଅଲଜାରି ଜୋସେଫ୍, ଖାରୀ ପିଏରୀ, ଶେଲଡନ୍ କଟ୍ଟରେଲ୍